
ପ୍ରଶାସନିକ ସ୍ତରରେ ବଡ଼ ସଂସ୍କାର ଲାଗି ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି | ଏଣିକି ପ୍ରତି ମାସ ୧୬ ତାରିଖରେ ଜିଲ୍ଲାପାଳମାନଙ୍କୁ ନେଇ ବସିବ ଉଚ୍ଚସ୍ତରୀୟ ବୈଠକ । ଛୁଟି ଦିନକୁ ବାଦ ଏହି ବୈଠକ ସବୁ ମାସ ୧୬ ତାରିଖରେ ବସିବ | ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଭିସି ଜରିଆରେ ଏହି ବୈଠକରେ ଯୋଡ଼ି ହେବେ | ବୈଠକରେ ଜିଲ୍ଲାସ୍ତରରେ ପଡ଼ି ରହିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ।
ବୈଠକ ପାଇଁ ୪ ସୁତ୍ରୀ ନିର୍ଦ୍ଦେଶ ନାମା ଦେଇଛନ୍ତି ଶ୍ରୀମତୀ ଗର୍ଗ | ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବୈଠକରେ ଆଲୋଚନା କରାଯିବ ସେଥିପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ, ପ୍ରତି ବିଭାଗ ୩୦ ମିନିଟ ପ୍ରେଜେଣ୍ଟସନ ପ୍ରସ୍ତୁତ କରି ବୈଠକକୁ ଆସିବେ, ୭ ଟି ସ୍ଲାଇଡ଼ ବିଶିଷ୍ଟ ଏକ ପିପିଟି ପ୍ରସ୍ତୁତ କରିବେ ଯାହା ୧୦ ମିନିଟ ଭିତରେ ହେବା ଆବଶ୍ୟକ ଏବଂ ସମସ୍ତ ବିଷୟବସ୍ତୁ ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଥିବା ଦରକାର |
ସେହିପରି ବୈଠକର ଏଜେଣ୍ଡାଗୁଡିକ ପ୍ରତି ମାସ ୮ ତାରିଖରେ ଯୋଜନା ଓ ସମନ୍ୱୟ ବିଭାଗକୁ ପ୍ରତି ଜିଲ୍ଲାରୁ ପହଞ୍ଚିବା ଆବଶ୍ୟକ | ନିର୍ଦ୍ଦିଷ୍ଟ ଫର୍ମାଟ ଜରିଆରେ ପଡ଼ି ରହିଥିବା କିମ୍ବା ସଠିକ ଅଗ୍ରଗତି ହେଉ ନଥିବା ବିଭିନ୍ନ ବିଷୟବସ୍ତୁ ସମ୍ପର୍କରେ ୫୦ଟି ଶବ୍ଦ ଭିତରେ ଲେଖିକି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି | ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଏ ନେଇ ଚିଠି କରାଯାଇଛି |



