Responsive Image Link
Department
Trending

LABOUR DEPT: ଗ୍ରୀଷ୍ମ ପ୍ରବାହ ପାଇଁ ନୂଆ ମାର୍ଗଦର୍ଶିକା: ଏପ୍ରିଲ ୧ରୁ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୩ଟା କାର୍ଯ୍ୟ ବନ୍ଦ

ଆଗାମୀ ଏପ୍ରିଲ ମାସରେ ରୌଦ୍ରତାପ ବୃଦ୍ଧି ପାଇବାର ଆଶଙ୍କା ରହିଥିବାରୁ ସମ୍ଭାବ୍ୟ ଅଂଶୁଘାତ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏଣୁ ପ୍ରଚଣ୍ଡ ଖରାରେ କାର୍ଯ୍ୟରତ ଶ୍ରମିକଙ୍କୁ ଏପ୍ରିଲ ୧ରୁ ଜୁନ ୧୫ ପର୍ଯ୍ୟନ୍ତ ପ୍ରତ୍ୟହ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଅଂଶୁଘାତରୁ ରକ୍ଷା ପାଇଁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ବିହିତ ପଦକ୍ଷେପ ନେବା ନିମନ୍ତେ ସମସ୍ତ ରାଜସ୍ୱ କମିସନର, ଜିଲ୍ଲାପାଳ ଓ ରାଜ୍ୟ ଶ୍ରମ କମିସନରଙ୍କୁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରାଯାଇଛି।

ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ତଥା ଓଡ଼ିଶାରେ ଥିବା କେନ୍ଦ୍ର ସରକାରଙ୍କର ସମସ୍ତ ବିଭାଗ, ବେସରକାରୀ ନିଯୁକ୍ତିଦାତା, ସମସ୍ତ ବାଣିଜ୍ୟ ଓ ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନର ମାଲିକ ଓ ଠିକାଦାରଙ୍କୁ, ସେମାନଙ୍କର ଅଧୀନରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଉପରୋକ୍ତ ସମୟ ଅବଧି ମଧ୍ୟରେ କାର୍ଯ୍ୟରେ ନ ଲଗାଇବାକୁ ବ୍ୟବସ୍ଥା ଗ୍ରହଣ କରିବାକୁ ଓ ଆବଶ୍ୟକସ୍ଥଳେ କାର୍ଯ୍ୟନିର୍ଘଣ୍ଟ ପରିବର୍ତ୍ତନ କରିବାକୁ ଅନୁରୋଧ କରାଯାଇଛି।

ଯଦି କୌଣସି କାର୍ଯ୍ୟ ଜରୁରୀ ବୋଲି ମନେହୁଏ କିମ୍ବା ଅତ୍ୟାବଶ୍ୟକ ସେବା ସହ ଜଡ଼ିତ, ଯେଉଁଥିରେ କି ଶ୍ରମିକଙ୍କୁ ଉପରୋକ୍ତ ସମୟ ପାଇଁ ବିଶ୍ରାମ ଦିଆଯାଇପାରିବ ନାହିଁ, ତେବେ ଉପରୋକ୍ତ ନିଯୁକ୍ତିଦାତାମାନେ ଶ୍ରମିକମାନଙ୍କୁ ସମ୍ଭାବ୍ୟ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା କରିବା ପାଇଁ ସତର୍କମୂଳକ ପଦକ୍ଷେପ ଗ୍ରହଣ କରିବେ। ଏଥିରେ ବିଶେଷ କରି ଶୀତଳ ପାନୀୟ ଜଳର ସୁବ୍ୟବସ୍ଥା, ଛାୟା ପ୍ରଦାନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ପାଇଁ ଡାକ୍ତରୀ ଚିକିତ୍ସାର ବ୍ୟବସ୍ଥା ଓ ପ୍ରତ୍ୟେକ ଶ୍ରମିକଙ୍କ ପାଇଁ ଓଆର୍‌ଏସ୍‌ ପ୍ୟାକେଟ୍‌ର ବ୍ୟବସ୍ଥା କରିବା ବାଧ୍ୟତାମୂଳକ ଅଟେ। ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଚିକିତ୍ସାଧିକାରୀ, ଉପମଣ୍ଡଳ ଚିକିତ୍ସାଧିକାରୀ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, କମ୍ୟୁନିଟି ହେଲ୍‌ଥ ସେଣ୍ଟର ଚିକିତ୍ସାଳୟଗୁଡ଼ିକର ଚିକିତ୍ସାଧିକାରୀ ତଥା କର୍ମଚାରୀ ରାଜ୍ୟ ବୀମା ଯୋଜନା ଅଧୀନରେ ଥିବା ଚିକିତ୍ସାଳୟରେ ଚିକିତ୍ସାଧିକାରୀଙ୍କୁ ପ୍ରଚଣ୍ଡ ରୌଦ୍ରତାପଜନିତ ପରିସ୍ଥିତିର ସମ୍ଭାବ୍ୟ ମୁକାବିଲା ସହ ରୋଗୀଙ୍କର ତତ୍‌ସମ୍ୱନ୍ଧୀୟ ରୋଗର ଚିକିତ୍ସା ପାଇଁ ସତର୍କ ରହିବାକୁ ଅନୁରୋଧ କରାଯାଇଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button