Responsive Image Link
Odisha
Trending

ଗଞ୍ଜାମର ଗୋଳାବନ୍ଧର ୧୩୭୧ ବିସ୍ଥାପିତଙ୍କ ପାଇଁ ୭୫.୬୦ କୋଟି ଟଙ୍କାର ପ୍ୟାକେଜ୍‌

ଗଞ୍ଜାମ ଜିଲ୍ଲା ଗୋଳାବନ୍ଧଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ ୭୫ କୋଟି ୬୦ ଲକ୍ଷ ୩୦ ହଜାର ଟଙ୍କାର ଏକ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ (ଆର୍‌ଆଣ୍ଡ୍‌ଆର୍‌) ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହାସହିତ ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପର ବିସ୍ଥାପିତ ୧୧୨ଟି ପରିବାରଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୯୬ଟି ପରିବାରକୁ ଘରବାରି ଓ ଚାଷଜମିର ପଟ୍ଟା ବଣ୍ଟନ କରାଯାଇଛି।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୋଳାବନ୍ଧର ଅଧିବାସୀଙ୍କ ସଂଘର୍ଷ ଓ ତ୍ୟାଗ ଅସୀମ। ୧୯୮୪ ମସିହାରେ ଆର୍ମୀ ଏୟାର ଡିଫେନ୍ସ କଲେଜ ପାଇଁ ଜମି ହସ୍ତାନ୍ତର ପରଠାରୁ ଦୀର୍ଘ ୪ ଦଶନ୍ଧି ଧରି ବିସ୍ଥାପିତ ଅଣଦେଖା ହୋଇ ରହିଥିଲେ | ବିଗତ ୨୪ ବର୍ଷର ଶାସନ କାଳରେ ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ନେତୃତ୍ୱ ନୋଳିଆ ପରିବାରଙ୍କ ସ୍ୱରକୁ ଚାପି ରଖିଥିବା ବେଳେ, ‘ଡବଲ ଇଞ୍ଜିନ’ ସରକାର ଆସିବା ପରେ ଏହି ସମସ୍ୟାକୁ ପ୍ରାଥମିକତା ଦିଆଯାଇଛି। ଘୋଷିତ ସ୍ୱତନ୍ତ୍ର ପ୍ୟାକେଜ୍ ଅଧୀନରେ ୧,୩୭୧ଟି ଯୋଗ୍ୟ ପରିବାରକୁ ଆର୍ଥିକ ସ୍ୱାବଲମ୍ବନ ପାଇଁ ପରିବାର ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ମୋଟ ୬୮.୫୫ କୋଟି ଟଙ୍କାର ଏକକାଳୀନ କ୍ଷତିପୂରଣ DBT ମାଧ୍ୟମରେ ପ୍ରଦାନ କରାଯାଉଛି। ଘର ନିର୍ମାଣ ସହାୟତା ବାବଦରେ ୪ କୋଟି ୨୫ ଲକ୍ଷ ୧୦ ହଜାର ଟଙ୍କା ଆବଣ୍ଟନ କରାଯାଇଛି, ଯେଉଁଥିରେ ୯୯୮ଟି ଅସମ୍ପୂର୍ଣ୍ଣ ଗୃହକୁ ସମ୍ପୂର୍ଣ୍ଣ କରାଯିବା ସହ ୧୦ଟି ନୂତନ ଘର ନିର୍ମାଣ ହେବ। ଏହା ବ୍ୟତୀତ ନୂଆ କୀର୍ତ୍ତିପୁର କଲୋନୀର ରାସ୍ତା, ଷ୍ଟ୍ରିଟ୍ ଲାଇଟ୍, ଅଙ୍ଗନବାଡ଼ି, ମାର୍କେଟ କମ୍ପ୍ଲେକ୍ସ, ପବ୍ଲିକ୍ ଟଏଲେଟ୍, ବାତ୍ୟା ଆଶ୍ରୟସ୍ଥଳୀ ଓ ମାଛଧରା ଡଙ୍ଗା ରଖିବା ପାଇଁ ବେଳାଭୂମି ସମତୁଲକରଣ ଭଳି ଭିତ୍ତିଭୂମି ବିକାଶ ପାଇଁ ୨.୮୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରାଯାଇଛି। ସେହିପରି ଛେଳିଗଡ଼ ପ୍ରକଳ୍ପର ବିସ୍ଥାପିତଙ୍କୁ ଦିଗପହଣ୍ଡିର ସାନ୍ତରାପୁରଠାରେ ଥଇଥାନ କରାଯାଇ ୧୧୨ ପରିବାରକୁ ୧୦ ଡିସିମିଲ୍ ଘରବାରି ଓ ୨ ଏକର ଲେଖାଏଁ ଚାଷଜମି ଯୋଗାଇ ଦିଆଯାଉଛି। ଆଜି ଏମାନଙ୍କ ମଧ୍ୟରୁ ୯୬ ପରିବାରକୁ ପଟ୍ଟା ଦିଆଗଲା। ଅନ୍ୟ ସମସ୍ତଙ୍କୁ ଖୁବ୍ ଶୀଘ୍ର ପଟ୍ଟା ଦିଆଯିବ। ଆସନ୍ତା ବର୍ଷ ଶେଷ ସୁଦ୍ଧା ଛେଳିଗଡ଼ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୬ ହଜାର ହେକ୍ଟରରୁ ଅଧିକ ଜମି ଜଳସେଚିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ଗଞ୍ଜାମ ଜିଲ୍ଲାର ସାମଗ୍ରିକ ବିକାଶ ସମ୍ପର୍କରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ ବ୍ଲୁ-ଇକୋନୋମି, ଆର୍ଯ୍ୟପଲ୍ଲୀ ଫିସିଙ୍ଗ ବନ୍ଦର ନବୀକରଣ, ୨୮ଟି ଫିସ୍ ଲ୍ୟାଣ୍ଡିଂ ସେଣ୍ଟର, ଗୋପାଳପୁର ବନ୍ଦର ସମ୍ପ୍ରସାରଣ ଏବଂ ବାହୁଦାଠାରେ ୨୧,୫୦୦ କୋଟି ଟଙ୍କାର ନୂତନ ବୃହତ୍ ବନ୍ଦର ନିର୍ମାଣ ଯୋଜନା ବିଷୟରେ ସୂଚନା ଦେଇଛନ୍ତି। ଗୋପାଳପୁର ଶିଳ୍ପ ପାର୍କରେ ୪୦ ହଜାର କୋଟିରୁ ଅଧିକ ନିବେଶ ମାଧ୍ୟମରେ ୧୮ ହଜାରରୁ ଊର୍ଦ୍ଧ୍ୱ ଯୁବକଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ରାଜ୍ୟରେ ଆଗାମୀ ଦୁଇ ବର୍ଷରେ ୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବାକୁ ଯାଉଥିବାରୁ ଯୁବଗୋଷ୍ଠୀଙ୍କୁ ନିଜକୁ ଦକ୍ଷ ଓ ପ୍ରଶିକ୍ଷିତ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, କ୍ଷୁଦ୍ର ଅଣୁ ମଧ୍ୟମ ଶିଳ୍ପ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ, ବ୍ରହ୍ମପୁର ସାଂସଦ ଡ ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଚିକିଟି ବିଧାୟକ ମନୋରଞ୍ଜନ ଧ୍ୟାନ ସାମନ୍ତରା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ ଅରବିନ୍ଦ ପାଢୀ ଓ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button