
ଜାତୀୟ ଢାଞ୍ଚାରେ ହେବ ରାଜ୍ୟ ସମବାୟ ନୀତି
ରାଜ୍ୟ କ୍ୟାବିନେଟ୍ରେ ଆଜି ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୦ଟି ବିଭାଗର ୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ଲାଗିଛି ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି।
କ୍ୟାବିନେଟ୍ର ନିଷ୍ପତ୍ତି ଅନୁଯାୟୀ ଜିଲ୍ଲା ସଂସ୍କୃତି ଅଧିକାରୀ ସେବା ବର୍ଗର ପୁନର୍ଗଠନ ସହ ସେମାନଙ୍କୁ ପଦୋନ୍ନତିର ସୁବିଧା ପ୍ରଦାନ ପାଇଁ ବିଜ୍ଞପ୍ତି ସଂ.୧୩୨୩ ତା. ୧୯.୦୨.୨୦୨୪ ରିଖରେ ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଅଧୀନରେ ଏକ ନୂତନ ସେବା ବର୍ଗ ଯଥା: ‘ଓଡିଶା ସଂସ୍କୃତି ଉନ୍ନୟନ ସେବା ବର୍ଗ” ଗଠନ କରାଯାଇଥିଲା। ଏହି ନିୟମାବଳୀ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଅର୍ଥ ବିଭାଗ, ଆଇନ ବିଭାଗଙ୍କ ଅନୁମୋଦନ ଲାଭ କରିବା ପରେ ଓଡିଶା ଲୋକ ସେବା ଆୟୋଗଙ୍କ ଦ୍ଵାରା ସ୍ଵୀକୃତ ହୋଇଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କର ଅନୁମୋଦନ ପ୍ରାପ୍ତ ହୋଇଛି।
ସାଂପ୍ରତିକ ସମୟରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ବିକାଶ ଏବଂ ଏହି ପରିପ୍ରେକ୍ଷୀରେ ହେଉଥିବା ବିଭିନ୍ନ ବିକାଶ ତଥା ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ଏହାର ସଫଳ ରୂପାୟନ କରିବା ନିମନ୍ତେ ଜିଲ୍ଲା ସଂସ୍କୃତି ଅଧିକାରୀ ସେବା ବର୍ଗର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଓଡିଶା ସଂସ୍କୃତି ସେବା ନିୟମ, ୨୦୦୬ ଅଧୀନରେ ଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ସେବା ବର୍ଗର ପୁନର୍ଗଠନ ସହ ସେମାନଙ୍କୁ ପଦୋନ୍ନତିର ସୁବିଧା ପ୍ରଦାନର ଆବଶ୍ୟକତା ରହିଛି। ଉକ୍ତ ପ୍ରସ୍ତାବ ଆଜି ରାଜ୍ୟ ମନ୍ତ୍ରିମଣ୍ଡଳଙ୍କ ଅନୁମୋଦନ ଲାଭ କରିଛି।

ଓଡ଼ିଶାରେ ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେଶ ସାମଗ୍ରୀ । ଏହି ପ୍ରସ୍ତାବରେ କ୍ୟାବିନେଟ ବୈଠକରେ ମୋହର ବାଜିଛି | ଶିଳ୍ପ ବିଭାଗର କଲ୍ୟାଣୀ ଗ୍ରୁପ ତରଫରରୁ ଇଣ୍ଡିଗ୍ରେଟେଡ଼ ନ୍ୟୁ ଏଜ ମାନୁଫେକଚର କମ୍ପ୍ଲେକ୍ସ ଢେଙ୍କାନାଳର ଗଜମରାରେ ୧୧ ଶହ ଏକର ଜମିରେ ନିର୍ମାଣ ହେବ | ଯେଉଁଥିରେ ୧୭ ହଜାର ୨୫୦ କୋଟି ଟଙ୍କାର ନିବେଶ ହେବ । ଏଥିରେ ୨୦ ଜହାର ନିଯୁକ୍ତି ସୃଷ୍ଟି ହେବ | ଟାଇଟନିୟମ, ସ୍ପେଶାଲ ଷ୍ଟିଲ, ଅଟୋ କମ୍ପନେଟ, ଏରୋସ୍ପେଶ, ପ୍ରତିରକ୍ଷା ସାମଗ୍ରୀ ପ୍ରସ୍ତୁତ ହେବ |
ରାଜ୍ୟ ସମବାୟ ନୀତିକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଜାତୀୟ ଢାଞ୍ଚାରେ ହେବ ରାଜ୍ୟ ସମବାୟ ନୀତି |ଜଳସମ୍ପଦ ବିଭାଗର ଡାଇଭର୍ସନ ସିଷ୍ଟମ ପାଇଁ ୩୬୨ କୋଟି ମଞ୍ଜୁର କରାଯାଇଛି | ଆସନ୍ତା ମାର୍ଚ୍ଚ ଯାଏଁ ଦୁବାଇ, ସିଙ୍ଗାପୁରକୁ ବିମାନ ଉଡାଣ ଜାରି ରହିବ। ପରବର୍ତ୍ତୀ ସମୟରେ ଏହି ସେବା ଚାଲୁ ରହିବ କି ନାହିଁ ତାହା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ନିୟମାବଳୀ-୨୦୨୨ର ସଂଶୋଧନ କରାଯାଇଛି।ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ନିୟମାବଳୀ-୨୦୨୬ ପ୍ରଣୟନ କରାଯାଇଛି।



