
ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳ୨୧ ଅଧିକାରୀଙ୍କ ବିଭାଗ ବଦଳିଲାରାଜ୍ୟ ପ୍ରଶାସନରେ ନୂଆ କଳେବର | ରାଜ୍ୟ ସରକାର ଅତିରିକ୍ତ ଶାସନ ସଚିବରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟା ପର୍ଯ୍ୟନ୍ତ ବଡ଼ଧରଣର ଅଦଳବଦଳ କରିଛନ୍ତି | ୨୧ ଜଣ ଅଧିକାରୀଙ୍କୁ ମିଳିଛି ନୂଆ ବିଭାଗ। ଉନ୍ନୟନ କମିସନର ଦେଓରଞ୍ଜନ କୁମାର ସିଂହଙ୍କ ପାଖରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଥିବାବେଳେ ଏହାକୁ କାଢ଼ି ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।
ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏହାସହ ପୂର୍ବ ଭଳି ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି।ବିଷ୍ଣୁପଦ ସେଠୀଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ସହ କେବିକେ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି | ଶ୍ରମ ଓ କର୍ମଚାରୀ ବୀମା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଚିତ୍ରା ଅରୁମୁଗମ୍ଙ୍କୁ ପୂର୍ବ ଭଳି ବିଜ୍ଞାନ ଓ କାରିଗରୀ ବିଭାଗର ଦାୟିତ୍ବ ମିଳିଛି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଦାୟିତ୍ବରେ ଥିବା ଅରବିନ୍ଦ କୁମାର ପାଢ଼ୀଙ୍କର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ବଦଳି ହୋଇଛି।
ପୂର୍ବଭଳି ତାଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀଙ୍କଠାରୁ ବାଣିଜ୍ୟ ଓ ପରିବହନ ବିଭାଗ କାଢ଼ି ଇଡ୍କୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠଙ୍କୁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି।
ଶୁଭା ଶର୍ମାଙ୍କୁ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି। ନୂଆଦିଲ୍ଲୀରେ ସ୍ବତନ୍ତ୍ର ଆବାସିକ କମିସନର ଭାବେ ନିଯୁକ୍ତି ପାଇଥିବା ମୃଣାଳିନୀ ଦର୍ସୱାଲଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି। ସାଧାରଣ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ ଏନ୍ବିଏସ୍ ରାଜପୁତଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ବଦଳି ହୋଇଛି। ଏହାସହ ତାଙ୍କୁ ପୂର୍ବଭଳି ଓଏସ୍ଆର୍ଟିସିର ଅଧ୍ୟକ୍ଷ ଓ ଏମ୍ଡି ଦାୟିତ୍ବ ଦିଆଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସଚିବ ଗିରିଶ ଏସ୍.ଏନ୍ଙ୍କୁ ଓଏମ୍ସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସମବାୟ ବିଭାଗ ସଚିବ ରାଜେଶ ପ୍ରଭାକର ପାଟିଲଙ୍କୁ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ, ଏସ୍ଆର୍ସି, ଓଏସ୍ଡମାର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ପର୍ଯ୍ୟଟନ ସଚିବ ବଲୱନ୍ତ ସିଂହଙ୍କୁ ନୂଆ କରି ଗଠନ ହୋଇଥିବା ଓଡ଼ିଶା ଷ୍ଟେଟ୍ ହାଇୱେ ଅଥରିଟିର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।
କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ସଚିବ ସଚିନ ରାମଚନ୍ଦ୍ର ଯାଦବଙ୍କୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କୁ ଅତିରିକ୍ତ ଭାବେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ମିଳିଛି। ଅତିରିକ୍ତ ଦାୟିତ୍ବ ଥିବା ଉତ୍ତରାଞ୍ଚଳ (ଆର୍ଡିସି)ରୁ ଅବ୍ୟାହତି ଦିଆଯାଇଛି। ଓଏମ୍ସିର ପରିଚାଳନା ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାମଲଙ୍କୁ ଅତିରିକ୍ତ ଭାବେ ଆର୍ଡିସି (କେନ୍ଦ୍ରାଞ୍ଚଳ) ଦାୟିତ୍ବ ଦିଆଯାଇଛି। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ନିର୍ଦ୍ଦେଶକ ରଶ୍ମିତା ପଣ୍ଡାଙ୍କୁ ବିଡିଏ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଏହାସହ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଏବଂ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ମତ୍ସ୍ୟ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ସାଦ୍ଦିକ ଆଲାମଙ୍କୁ ସାଧାରଣ ଉଦ୍ୟୋଗ ସଚିବ ଭାବେ ବଦଳି ହୋଇଛି। ସେ କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ | ଓଡ଼ିଶା ଉଠାଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ମାନସୀ ନିମ୍ଭାଲଙ୍କ ମିସନ ଶକ୍ତି ସଚିବ ଭାବେ ବଦଳି ହୋଇଛି। ବୟନ ଏବଂ ହସ୍ତତନ୍ତ ବିଭାଗର ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅନୁପମ ଶାହାଙ୍କୁ ଓବିସିସିର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ଦକ୍ଷିଣାଞ୍ଚଳ ଆର୍ଡିସି ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଉତ୍ତରାଞ୍ଚଳ ଆର୍ଡିସି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।



