
ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଲୋକଙ୍କ ଅଭିଯୋଗ ଶୁଣି ତୁରନ୍ତ ସମାଧାନ କର | ଆବଶ୍ୟକ ପଡ଼ିଲେ, ଅନ୍ଲାଇନ୍ରେ ସମସ୍ୟାର ସମାଧାନ କର। ଲୋକଙ୍କ ସେବା ସର୍ବୋପରି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ସରକାରୀ ଅଧିକାରୀ, କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ନବଗଠିତ ୨୮ଟି ଏନ୍ଏସି ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ଏଥିରୁ ପ୍ରତି ଏନ୍ଏସିକୁ ୨୦ କୋଟି ଟଙ୍କା ପ୍ରଦାନ କରାଯିବ। ଅନୁଦାନ ସମ୍ପୃକ୍ତ ଅଞ୍ଚଳରେ ନୂଆ ଏନ୍ଏସି ଗୃହ, ରାସ୍ତା, ଡ୍ରେନ୍, ବଜାର ଓ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶରେ ଖର୍ଚ୍ଚ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ରେ ୬୨ଟି ପୌରାଞ୍ଚଳ ପାଇଁ ୩୨୩ କୋଟି ଟଙ୍କାରେ ୫୯୩ଟି ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି। ଏଥିରୁ ୧୦୨ କୋଟି ଟଙ୍କାର ୪୨୩ଟି ପ୍ରକଳ୍ପର ଶୁଭାରମ୍ଭ ଓ ୨୨୧ କୋଟି ଟଙ୍କାର ୧୭୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ପଡ଼ିଛି। ଭିଡିଓ କନ୍ଫରେନ୍ସିଂରେ ଯୋଡ଼ିବାକୁ ରାଜ୍ୟର ୧୧୫ଟି ସହରାଞ୍ଚଳକୁ ଓସ୍ବାନ ଭିଡିଓ କନ୍ଫରେନ୍ସିଂ ସୁବିଧା ଯୋଗାଇ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ବନ୍ଧୁ, ଯାତ୍ରୀଙ୍କ ସୁରକ୍ଷା ପାଇଁ ଓଡ଼ିଶା ଯାତ୍ରୀ ଏସ୍ଓଏସ୍ ଆପ୍ର ଶୁଭାରମ୍ଭ କରିଛନ୍ତି। ପୌର ସଂସ୍ଥାଗୁଡ଼ିକର ଦକ୍ଷତାବୃଦ୍ଧି ପାଇଁ ଓଡ଼ିଶା ଅର୍ବାନ ଏକାଡେମୀ ସହିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, ଇଣ୍ଡିଆନ୍ ସ୍କୁଲ ଅଫ୍ ବିଜିନେସ୍ ଓ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଅର୍ବାନ୍ ଆଫେୟାର୍ସର ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଆମ ବସ୍ ସେବାରେ ଉନ୍ନତି ପାଇଁ CRUT ସହ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଭୁବନେଶ୍ବର-କଟକ-ପୁରୀ-ପାରାଦ୍ବୀପ ଅର୍ଥନୈତିକ କରିଡର କରି ରାଜ୍ୟକୁ ଅର୍ଥନୈତିକ ଦୃଷ୍ଟିରୁ ସୁଦୃଢ଼ କରିବା ସହ ନୂଆ ଆଶା ଆଣିଦେବାକୁ ଯାଉଛନ୍ତି। ଶିଳ୍ପକୁ ବି ଗୁରୁତ୍ବ ଦିଆଯାଉଛି। ଯଦ୍ବାରା ସହରାଞ୍ଚଳର ବିକାଶ ହେବ, ଗ୍ରେଟର ଭୁବନେଶ୍ବର ଲକ୍ଷ୍ୟ ପୂରଣ ହେବ। ସହର ବିକାଶ ହେଲେ ଗ୍ରାମାଞ୍ଚଳ ବିକାଶ ବି ଆଗକୁ ବଢ଼ିବ। ଲୋକଙ୍କ ସହିତ ରହି, ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି କାମ କରିବାକୁ ସହରାଞ୍ଚଳର ଜନପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ଶ୍ରେଷ୍ଠ ସହରାଞ୍ଚଳ ଭାବେ ଓଡ଼ଗାଁ, ପଦ୍ମପୁର, ଚୌଦ୍ବାର, ନୂଆପଡ଼ା, ରେମୁଣା, ରଣପୁର, ହିନ୍ଦୋଳ, ଗଞ୍ଜାମ, ଗୁଡ଼ାରି ୨ କୋଟି ଟଙ୍କା ଲେଖାଏଁ, ଆଠମଲ୍ଲିକ, ଆଠଗଡ଼ ଓ ବଲାଙ୍ଗୀରକୁ ୧ କୋଟି ଟଙ୍କା ଲେଖାଏଁ ଏବଂ କୁଚିଣ୍ଡା, ଆନନ୍ଦପୁର ଓ ସୋରକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ।
ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ, ରାଜ୍ୟରେ ବିଜେପି ସରକାର ଆସିବା ପରେ ସହରାଞ୍ଚଳ ବିକାଶକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ରାଜ୍ୟରେ ନୂଆ ୨୮ଟି ଏନ୍ଏସି, ୭ଟି ପୌର ପରିଷଦ ଗଠନ ହୋଇଛି। ପୁରୀକୁ ମହାନଗର ନିଗମର ମାନ୍ୟତା ମିଳିଛି। ସହରାଞ୍ଚଳ ବିକାଶକୁ ଗତି ଦେବା ସହ ସ୍ୱଚ୍ଛ ଓଡ଼ିଶା, ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସେ ଆହ୍ୱାନ ଜଣାଇଥିଲେ। ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଭୁବନେଶ୍ବରର ୩୬ଟି ୱାର୍ଡବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଦୟା ୱେଷ୍ଟ କେନାଲ୍ ପୁନରୁଦ୍ଧାର ଦାବି ଉଠାଇଥିଲେ। ବିଏମ୍ସି ମେୟର ସୁଲୋଚନା ଦାସ ନିକଟରେ ସହରାଞ୍ଚଳ ବିକାଶ ପାଇଁ ସମ୍ବିଧାନ ସହରାଞ୍ଚଳକୁ ଯେଉଁ ୧୮ଟି କ୍ଷମତା ପ୍ରଦାନ କରିଛି, ତାକୁ ଲାଗୁ କରିବାକୁ ଦାବି ରଖିଥିଲେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସହରାଞ୍ଚଳର ବିକାଶ ଉପରେ ଗୁରୁତ୍ବାରୋପ କରିଥିଲେ। ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢୀ ସ୍ୱାଗତ ଭାଷଣ ଓ ପୌର ପ୍ରଶାସନର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଧନ୍ୟବାଦ ଦେଇଥିଲେ।



