
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୮-୯ରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଦୁବାଇ ଗସ୍ତ କରିବେ। ସେ ବିଦେଶରୁ ପୁଞ୍ଜିନିବେଶ ଆଣିବା ଲାଗି ଉଦ୍ୟମ କରିବେ। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରେ ୨୦୨୪ରେ ସେ ସିଙ୍ଗାପୁର ଗସ୍ତରେ ଯାଇଥିଲେ। ଶେଷ ଥର ପାଇଁ ୨୦୨୨ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦୁବାଇରେ ଏକ ନିବେଶକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ସେହି ସମ୍ମିଳନୀରୁ ୨୧ ହଜାର ୮୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା।
ଚାରି ବର୍ଷର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆସନ୍ତା ୮-୯ ତାରିଖ ଦୁବାଇ ନିବେଶକ ସମ୍ମିଳନୀରେ ଭାଗ ନେବେ। ସେ ଧାତବ, ପେଟ୍ରୋରସାୟନ, ଖାଦ୍ୟ ପ୍ରକ୍ରିୟାକରଣ, ସବୁଜ ଶକ୍ତି, ଗ୍ରିନ ହାଇଡ୍ରୋଜେନ ଓ ଗ୍ରିନ୍ ଆମୋନିଆ, ବୟନ, ପୋଷାକ, ସେମିକଣ୍ଡକ୍ଟର, ବନ୍ଦର ଓ ଲଜିଷ୍ଟିକ୍ସ କ୍ଷେତ୍ର ଲାଗି ପୁଞ୍ଜିନିବେଶ ଆଣିବା ପାଇଁ ଉଦ୍ୟମ କରିବେ। ନିକଟରେ ୟୁଏଇର ସଂସ୍ଥା ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନି (IHC) ଆଦାନୀ ଗ୍ରୁପ୍ ସହିତ ମିଶି ଓଡ଼ିଶାରେ ବକ୍ସାଇଟ୍ ଖଣି, ଆଲୁମିନା ବିଶୋଧନାଗାର, ଆଲୁମିନିୟମ ସ୍ମେଲଟର, ପାୱାର ପ୍ଲାଣ୍ଟ୍ ଆଦିରେ ୧.୧୦ ଲକ୍ଷ କୋଟି ଟଙ୍କା ନିବେଶ କରିବା ଲାଗି ରାଜ୍ୟ ସରକାରଙ୍କ ସହ ବୁଝାମଣା କରିଥିଲା।
ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟ ସରକାର ୨୦୨୨ରେ ଦୁବାଇ/ୟୁଏଇ, ୨୦୨୩ରେ ଜାପାନ ଓ ୨୦୨୪ରେ ସିଙ୍ଗାପୁରରେ ରୋଡ୍ସୋ ଆୟୋଜନ କରିଥିଲେ। ଜାପାନ ନିବେଶକ ସମ୍ମିଳନୀରୁ ରାଜ୍ୟ ସରକାର ୨୬ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ହାସଲ କରିଥିଲେ। ଗ୍ରିନ୍ ହାଇଡ୍ରୋଜେନ୍ ଓ ଗ୍ରିନ ଆମୋନିଆ, ସୂଚନା ପ୍ରଯୁକ୍ତି, ଲଜିଷ୍ଟିକ୍ସ, ଧାତବ, ଇସ୍ପାତ ଆଦି କ୍ଷେତ୍ର ପାଇଁ ସରକାର ନିବେଶ ପ୍ରସ୍ତାବ ଆସିଥିଲା। ୨୦୨୪ର ସିଙ୍ଗାପୁର ରୋଡ୍ସୋ ସମୟରେ ଏମ୍ଏଏସ୍ ହୋଲ୍ଡିଂ, ଲିଣ୍ଡେ, ସେମ୍ବକର୍ପ, ଭୋପାକ୍ ଓ ଏପି ମୋଲର ମାଏର୍ସକ ଭଳି ସଂସ୍ଥା ଓଡ଼ିଶାରେ ନିବେଶ କରିବାକୁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମାଝୀଙ୍କ ସରକାର ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ବିଦେଶୀ ପୁଞ୍ଜି ହାସଲ କରିବାକୁ ଲକ୍ଷ୍ୟ ରଖିଛି |



