Odisha

କାର୍ତ୍ତିକ ଶେଷରେ ଆସିଲା ଶୀତ: ଦୁଇ ଦିନରେ ଆହୁରି ୨ରୁ ୪ ଡିଗ୍ରୀ କମିପାରେ ତାପମାତ୍ରା

ରାଜ୍ୟରେ ଅଚାନକ ଖସିଲା ପାରଦ । କାର୍ତ୍ତିକ ମାସର ବିଦାୟ ସହ ଆସିଲା ଶୀତ | ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଖସିଛି । ପୂର୍ବରାତି ତୁଳନାରେ ସର୍ବନିମ୍ନ ତାପମାତ୍ରା ୨ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ କମିଛି । ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଶୀତ ପ୍ରକୋପ ଆହୁରି ବଢ଼ିପାରେ | ଆସନ୍ତା ୨ ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ କମିପାରେ ।

ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଦିନକ ତଳେ ଥିଲା ୧୫ । ଦାରିଙ୍ଗିବାଡ଼ିରେ ବି ପାରଦ ୧୪ ଡିଗ୍ରୀକୁ ଖସି ଆସିଛି । ଝାରସୁଗୁଡ଼ା ତାପମାତ୍ରା ପୂର୍ବ ରାତି ତୁଳନାରେ ୩.୩ ଡିଗ୍ରୀ କମି ୧୪.୫ ଡିଗ୍ରୀରେ ପହଞ୍ଚିଥିବାବେଳେ ଅନୁଗୁଳ ୧୫ ଡିଗ୍ରୀ ରେକର୍ଡ ହୋଇଛି । ପୂର୍ବ ରାତି ତୁଳନାରେ ଅନୁଗୁଳ ତାପମାତ୍ରା ୩ ଡିଗ୍ରୀ କମିଛି । ରାଉରକେଲା ସର୍ବନିମ୍ନ ତାପମାତ୍ରା ୧୫.୫, କେନ୍ଦୁଝର ୧୫.୨, ଢେଙ୍କାନାଳ ୧୫.୮ ଡିଗ୍ରୀ ରେକର୍ଡ ହୋଇଛି । ଢେଙ୍କାନାଳରେ ତାପମାତ୍ରା ଅସ୍ୱାଭାବିକ ହାରରେ କମିଛି । ପୂର୍ବ ରାତିରେ ୨୨.୧ ଡିଗ୍ରୀ ଥିବାବେଳେ ୬.୩ ଡିଗ୍ରୀ କମିଯାଇଛି ୨୪ ଘଣ୍ଟାରେ।

ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀ ଓ କଟକ ୧୭.୬ ଡିଗ୍ରୀ ରହିଛି । ଦିନକ ତଳେ ଭୁବନେଶ୍ୱର ୨୦.୮ ଡିଗ୍ରୀ ଓ କଟକ ୨୦.୨ ଡିଗ୍ରୀ ଥିଲା । ଭୁବନେଶ୍ୱରରେ ପୂର୍ବ ରାତି ତୁଳନାରେ ୩.୮ ଡିଗ୍ରୀ ଓ କଟକରେ ୨.୬ ଡିଗ୍ରୀ କମିଛି ତାପମାତ୍ରା । ନଭେମ୍ବର ପହିଲାରୁ ଆଜି ସୁଦ୍ଧା ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ କମିଛି। ନଭେମ୍ବର ୧ରେ ୨୫ ଡିଗ୍ରୀ, ୨ ତାରିଖରେ ୨୪ ଡିଗ୍ରୀ, ୩ ତାରିଖରେ ୨୨.୬ ଡିଗ୍ରୀ, ୪ ତାରିଖରେ ୨୦.୮ ଡିଗ୍ରୀ ଏବଂ ୫ ତାରିଖରେ ୧୭ ଡିଗ୍ରୀରେ ପହଞ୍ଚିଛି। ୧୦ ତାରିଖ ପରେ ତାପମାତ୍ରା ଆହୁରି କମିବା ସହ ଶୀତ ବଢ଼ିବ । ଚଳିତବର୍ଷ ଶୀତ ପ୍ରକୋପ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ |

Show More

Related Articles

Leave a Reply

Your email address will not be published. Required fields are marked *

Back to top button