
କିଟ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଛି ୬୧ତମ ଫେମିନା ମିସ୍ ଇଣ୍ଡିଆର ଗ୍ରାଣ୍ଡ ଫିନାଲେ। ପ୍ରଥମ ଥର ପାଇଁ ଏକ ବିଶ୍ୱବିଦ୍ୟାଳୟରେ ଏପରି ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ। ଏହା କେବଳ କିଟ୍ ପାଇଁ ନୁହଁ, ଓଡ଼ିଶା ପାଇଁ ଗର୍ବର ବିଷୟ।

ପ୍ରଥମ ଥର KIIT ବିଶ୍ୱବିଦ୍ୟାଳୟରେ ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେ। ଭୁବନେଶ୍ୱରରେ ଫେମିନା ମିସ୍ ଇଣ୍ଡିଆ-୨୦୨୬ ଓଡ଼ିଶା ଓ KIIT ପାଇଁ ଗୌରବର ମୁହୂର୍ତ୍ତ। ଓଡ଼ିଶାର ସାଂସ୍କୃତିକ ଏବଂ ଶିକ୍ଷା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଓଡ଼ିଶା ପର୍ଯ୍ୟଟନ ବିଭାଗ ସହମତି କ୍ରମେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମ ପାଇଁ ସମସ୍ତ ଆୟୋଜନ କରିଛନ୍ତି ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (KIIT) ପରିସରରେ ଆସନ୍ତା ଏପ୍ରିଲ ୧୮ରେ ପ୍ରତିଷ୍ଠିତ ୬୧ତମ ଫେମିନା ମିସ୍ ଇଣ୍ଡିଆର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ। “କିଟ୍ ପ୍ରେଜେଣ୍ଟସ ୬୧ତମ ଫେମିନା ମିସ୍ ଇଣ୍ଡିଆ ୨୦୨୬” ଶୀର୍ଷକରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ସମଗ୍ର ଭାରତର ଶ୍ରେଷ୍ଠ ୩୦ ଜଣ ପ୍ରତିଯୋଗୀ କିଟ୍ ଓ କିସ୍ କ୍ୟାମ୍ପସରେ ପହଞ୍ଚିଛନ୍ତି। ଗତ ଏପ୍ରିଲ ୧୩ ତାରିଖରେ ସମସ୍ତ ୩୦ ଜଣ ପ୍ରତିଯୋଗୀ କିଟ୍ କ୍ୟାମ୍ପସରେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।


୧୪ ତାରିଖରେ ଓଡ଼ିଆ ନବବର୍ଷ ଅବସରରେ ସମସ୍ତ ପ୍ରତିଯୋଗୀ ଓଡ଼ିଶାର ପାରମ୍ପରିକ ଶାଢ଼ି ପରିଧାନ କରି ଓଡ଼ିଆ ସଂସ୍କୃତି ପ୍ରତି ସମ୍ମାନ ଜଣାଇଥିଲେ। ଏହାସହ ପୁରୀ, କୋଣାର୍କ ସହ ଭୁବନେଶ୍ବରର ମୁକ୍ତେଶ୍ବର ମନ୍ଦିର ବୁଲି ଦେଖିଥିଲେ। ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ବଳ ହୋଇଥିଲେ ପ୍ରତିଯୋଗୀ। ମୁକ୍ତେଶ୍ୱରରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଭାସ୍କର୍ଯ୍ୟକୁ ଅତି ନିକଟରୁ ଅନୁଭବ କରିଲେ ମିସ୍ ଇଣ୍ଡିଆ ଫାଇନାଲିଷ୍ଟ। କିଟ୍ କ୍ୟାମ୍ପସର ଅନୁଭୂତିକୁ ସେମାନେ “ଯାଦୁକରୀ” ବୋଲି କହିବା ସହ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମିରେ ରହିବା ସେମାନଙ୍କ ପାଇଁ ସୌଭାଗ୍ୟର ବିଷୟ ବୋଲି ପ୍ରକାଶ କରିଛନ୍ତି। ଏହି ପ୍ରତିଯୋଗୀମାନେ KIIT ଓ KISS କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ସହ ମିଶିବା ସହ ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଚନ୍ଦ୍ରଭାଗା ବେଳାଭୂମି ଭଳି ଐତିହାସିକ ସ୍ଥାନ ଭ୍ରମଣ କରିଛନ୍ତି। ଭାରତରେ ପ୍ରଥମ ଥର ପାଇଁ କୌଣସି ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଏଭଳି ଏକ ଜାତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗିତା ଆୟୋଜିତ ହେଉଛି।



